୪୦ ଫୁଟ୍ ତଳକୁ ଖସିଲା କାର । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁରରୁ ମହେନ୍ଦ୍ରଗିରି ବୁଲିବା ପାଇଁ ଆସିଥିଲେ ପର୍ଯ୍ୟଟକ । ଚାରି ଜଣ ମହିଳାଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ଐତିହାସିକ ସ୍ଥଳ ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫେରୁଥିବାବେଳେ ଭାରସାମ୍ୟ ହରାଇ କାରଟି ଚାଳଶି ଫୁଟ ପାହାଡ଼ ତଳକୁ ଚାଲିଯାଇଥିଲା l ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲାବେଳେ ସ୍ଥାନୀୟ ଲୋକେ ଆହତମାନଙ୍କୁ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଗାରାବନ୍ଧ ପୋଲିସ ପହଞ୍ଚି ଦୁର୍ଘଟଣା କିମିତି ଘଟିଲା ତଦନ୍ତ ଜାରି ରଖିଛି । ତେବେ ପର୍ଯ୍ୟଟନ ଋତୁ ପାଖେଇ ଆସିଲେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ସମୟରେ ପ୍ରାୟ ଘାଟି ରାସ୍ତାରେ ଭାରସମ୍ୟ ହରାଇବା କାରଣରୁ ଯାନବାହନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ସାମ୍ନାକୁ ଆସିଥାଏ । ତେଣୁ ଏଥିପ୍ରତି ଟିକେ ଯତ୍ନବାନ ହେବା ଆବଶ୍ୟକ ।